Unknown

 

 

 

 

 

 

 

 

 

ପ୍ରେମତରୀ

ରାମଶଙ୍କର ରାୟ

 

ପ୍ରଥମସର୍ଗ-ପ୍ରେମ ପଥିକ

ଆରକ୍ତବରଣ      ପ୍ରଭାତ ତପନ

ପୂରୁବ ଦିଗରେ ଜ୍ୱଳେ:-

ପର୍ବତ, ସାଗର,      ହ୍ରଦ, ସରୋବର,

କେସନ କିରଣ-ବଳେ !

ଆକାଶବିହାରୀ,      ବନ-ସହଚାରୀ

ପତଙ୍ଗେ ମଳିଣ କେତେ,

ଆନନ୍ଦ ମନରେ,      ସୁତାନେ ସୁସ୍ୱରେ

ଗାଆନ୍ତି ଯେ ଯାହା ମତେ;

କେ ଡାଳେ ବସଇ ମଧୁର ଭାଷଇ,

କେ ଆସି ବସଇ ତଳେ,

କେ ଉଡ଼ି ଯାଆଇ,      ଧରା ଲୋଟୁଥାଇ

କେ ପୁଣି ରଙ୍ଗ ଭଙ୍ଗରେ;

ବିଚାରି କି ମନେ      ଥୋକେ ଏକ କ୍ଷଣେ

ଧାଡ଼ି ହୋଇ ବସି ପୁଣି

କରନ୍ତି କାକଳି;-      ପ୍ରକୃତି ସୁନ୍ଦରୀ

ମୋହିତା ନିଶ୍ଚଳା ଶୁଣି ।

 

ତା ଶୁଣି ପବନ,      ଅତି ମୁଗ୍ଧମନ,

ଧୀର ଧୀର ହୋଇ ଚାଲେ;-

କରୁଅଛି ଭୟ      ହୋଇଲେ ଅଥୟ

ବିଭ୍ରାଟ ଘଟିବ କାଳେ !

ପୁଣି

ପତ୍ର ପତ୍ର’ପରେ      ବ୍ରତତୀ ବୃକ୍ଷରେ

ଅଳସେ ପଡ଼େ କି ଢଳି ?

ନା ତାହା ନୁହଇ;-      ସମୀର ବହଇ

ମୃଦୁ ମୃଦୁ ଗୀତ କରି ।

 

ବାଦଲ ଅମ୍ବରେ      ସୁବର୍ଣ୍ଣ ରଙ୍ଗରେ

ଶୋଭଇ ରଞ୍ଜିତ ହୋଇ ।

ବିବିଧ ପ୍ରସୂନ      ପ୍ରସ୍ଫୁଟିତ ପୁନଃ

ସୁବାସେ ମନକୁ ମୋହି ।।

 

ହିମାଂଶୁ ଚରଣେ      ତାପିତା ପଦ୍ମିନୀ

ବଦ୍ଧ ଭ୍ରମରଙ୍କ ସ୍ୱନେ

କାନ୍ଦୁଥିଲା, ଏବେ      ପ୍ରଫୁଲ୍ଲିତା ସ୍ୱାମୀ

ଚନ୍ଦ୍ରଜିତ ଆମର୍ଶନେ ।

 

ଦେଖି କୁମୁଦିନୀ      ଘୋର ବିଷାଦିନୀ

ଅଭାଗ୍ୟ ମଣୁଛି ନିଜ ।।

ଅଧୋବଦନରେ      କାନ୍ଦୁ’ଛି ବିକଳେ

କହୁ’ଛି ‘କଳହ ବୀଜ’ ।

 

ଦେ’ଖୁଛି ଭରତା      ରଜନୀ-କରତା ।

ପଶ୍ଚିମାଶାରେ ପାଣ୍ଡୁର,-

ଫାଟିଯାଏ ହୃଦ,      ହେଉଅଛି କ୍ରୁଦ୍ଧ,

କହୁ’ଛି ‘ବିଧାତା କ୍ରୁର’ ।

 

ଗ୍ରୀବା ଭଙ୍ଗେ ମୋଡ଼ି ବଦନ ଆବୋରି

ଭାବଇ ମନବିକଳେ,

‘ନାଟ ଏ ରୀତିରେ      ଲାଗି’ଛି ପୃଥ୍ୱୀରେ-

କେ ହସେ କି କାନ୍ଦି ବୁଲେ’ ।

 

ବନ କ୍ଷୁଦ୍ରଜୀବେ      କିସ ସେ କରିବେ

ଚିନ୍ତି ଭ୍ରମୁ’ଛନ୍ତି ବନେ ।

ହିମବିନ୍ଦୁ ପଡ଼େ,      କର୍ଣ୍ଣ ମନ ହରେ-

ହରେ ଟପଟପ ସ୍ୱନେ ।

 

ଶାନ୍ତିର ରାଜତ୍ୱ      ଚୌଦିକ ପ୍ରାପତ-

ସମସ୍ତ ସେ ଶାନ୍ତିରସେ

ପ୍ରକମ୍ପଇ ବୁଡ଼ି;      କେହୁ କହ ହୁଡ଼ି

ନ ରହିବ ଶାନ୍ତିରସେ ?

 

ପ୍ରେମର ପଥିକ      ନବୀନ ଚୌଦିକ

ଭ୍ରମଇ ବିରସ ମନେ ।

ପ୍ରେମରି ଚିନ୍ତାରେ      ମଗନ ହୋଇଣ

ଭ୍ରମଇ ଅଧୋବଦନେ ।।

 

‘‘ଆହା ରେ ଲବଙ୍ଗ ! ତୋହରି ଶ୍ରୀଅଙ୍ଗ,

ସୁଚାରୁ ବଦନ ତୋର,

କଟାକ୍ଷ ଚାହାଣି      ସୁମଧୁର ବାଣୀ,

ମନରୁ ନ ଯିବ ମୋର !

 

ଗହନ କାନନେ      ତୋହରି କାରଣେ

ଭ୍ରମଇ ନବୀନ ଯୋଗୀ,-

ତୋ ପ୍ରେମେ ମୁଗଧ, ହୃଦୟ ଦଗଧ,

ହେଲାଣି ତୋ ପାଇଁ ରୋଗୀ ।

 

ଗତି-ଶକ୍ତିହୀନ;      ତୀକ୍ଷ୍ଣଦୃଷ୍ଟି କ୍ଷୀଣ;

ଶରୀର ଦୁର୍ବଳ କ୍ରମେ;

ଦିଶେ ଅନ୍ଧକାର      ଅଖିଳ ସଂସାର,

ତୁଚ୍ଛାକୁ ମସ୍ତକ ଭ୍ରମେ !

 

ସଦା ପୋଡ଼ା ମନ      କରୁ’ଛି ରୋଦନ,

ରୋଦନକୁ ସୁଖ ପାଏ,-

ନାହିଁ ରୁଚି କାହିଁ,      ମରେ ଧାଇଁ ଧାଇଁ

ତୁଛାକୁ ପାଗଳପ୍ରାୟେ !

 

ଦଇବ ବିଚାର       ସଂସାର ବାହାର ।-

ବୁଡ଼ାଇଲା ସୁଖତରୀ !

ଭସାଇଲା ମୋତେ,       ଚରାଚର ସ୍ରୋତେ

ଫିଙ୍ଗିଦେଲା ଏକା କରି !

 

ସେ ଝଞ୍ଜାପବନ      ପଡ଼ଇ ମୋ ମନ,

ଫେନିଳ ମହୋର୍ମିମାନ,

ଗଭୀର ଗର୍ଜ୍ଜନ,      କୋଳାହଳ ସ୍ୱନ

ଭୀଷଣ ନଭୋବିତାନ !

 

ଅବା

କାହିଁକି କି କ୍ଷଣେ      ପଡ଼ିଲା ଈକ୍ଷଣେ

ସେହି ସେ ବାମା ଆକୃତି ?

ପାଇଲେ ଦର୍ଶନ      ରହିବ ଜୀବନ,

ପଳାଇ ଯାଉଛି ଧୃତି !

 

ଦର୍ଶନ-ସମ୍ଭବ      ଦିଶେ ଅସମ୍ଭବ,

ଚାହିଁ’ଛି ରମଣୀମଣି ?

ବଞ୍ଚି’ଛି ଭବରେ ?      ତରଣି ସଙ୍ଗରେ

ଲଭି’ଛି ଅବା ଧରଣୀ ?

ଆହା !

ପାଇଲେ ଦର୍ଶନ,      କୋଳରେ ସଘନ

ବସାଇବି ପ୍ରେମମନେ,

କାନ୍ଧେ କାନ୍ଧ ରଖି      ବଦନ ନିରଖି

ଚୁମ୍ବିବି ଚନ୍ଦ୍ରଆନନେ,

 

କହିବି ରସରେ      ‘ବଦ୍ଧ ତୋ ପାଶରେ

ତୋ ବିନା ଆନ ନ ଜାଣେଁ,

ତୋହରି ନବୀନ      ତୋହରି ଅଧୀନ,

ତୋ ବିନା ମରିବ ପ୍ରାଣେ ।’’

 

ଚିନ୍ତଇ ଏପରି      ପ୍ରେମାଧୀନେ ପଡ଼ି

ଭ୍ରମଇ ଗହନ ବନେ,-

ଲବଙ୍ଗ ହିଁ ଧ୍ୟାନ,      ଲବଙ୍ଗରି ନାମ

ଲବଙ୍ଗଜୀବନ ମନେ ।

 

ଲବଙ୍ଗ-ମରଣ-      ବାରତା ଶ୍ରବଣ

କରାଇବ କେହି ଯଦି,

ହୋଇବ ବିକଳ      ଶୋକରେ ପ୍ରବଳ,

ଶୁଖିଯିବ ଜୀବ-ନଦୀ;

 

ପୁଣି କେ ଯଦ୍ୟପି ସୁସମ୍ବାଦ ଆସି

ଦେବ ସୁଖେ ସୁକ୍ଷଣରେ ।

ପରାଣ ଆପଣା      ସମର୍ପି ପାରିବ

ବସାଇବ ସ୍ୱର୍ଗପରେ ।

 

ଭ୍ରମୁ ଭ୍ରମୁ ଯାଇ      କେତେକ୍ଷଣେ ସେହି

ସମ୍ମୁଖସ୍ଥ ନଗ-ଶୃଙ୍ଗେ

ଉଠି ଧୀରେ ଧୀରେ ବସେ ତା ଉପରେ,

ଦେଖଇ ଚୌଦିକ ରଙ୍ଗେ।–

 

ଆପଣାକୁ ଭୁଲି      ଅଛଇ ଯେ ଲୋକ

କାହିଁ’ଛି ତାହାର ମତି ?

କିସ ସେ କରଇ,      କି ଅବା ଭାବଇ,

କେ କହିବ ଚିନ୍ତା-ଗତି ?-

 

ଦେଖଇ ସାଗର      ଲୋଟଇ ତଳର,

ପର୍ବତ ପାର୍ଶ୍ୱକୁ ଯାଏ,

ଭୀଷଣ ଗର୍ଜ୍ଜନେ      ଆପଣା ହଟାଇ

ଫେରେ ଯହୁଁ ବାଧା ପାଏ ।

 

ବିକଳ ସ୍ୱରରେ      ସିନ୍ଧୁକୁ ସମ୍ବୋଧି

କହୁ’ଛି ବିନୟଭରେ-

କିଏ ତା ବୁଝି’ଛି      ଅଛି କି ନ ଅଛି

ଜୀବନ ସମୁଦ୍ରୋଦରେ ?

 

‘‘ଆରେ ରେ ସାଗର, ବିଶ୍ୱ ଚରାଚର

ବେଢ଼ି ତୁ ଅଛୁ ଧରାରେ,

କହିଲୁ ମୋରାଣ      ତୋତେ ରେ, ପରାଣ-

ମିତଣୀ ମୋ କେଉଁଠାରେ ?

 

ଯେତେକ ମୋହର      ମୂଳ ଅନିଷ୍ଟର

ନିଶ୍ଚେ ତୁହି ଅଟୁ ଏକା,

ତୋହରି କାରଣ      ଛାଡ଼ୁ’ଛି ଜୀବନ,

ତୁ ମୋର ଶତ୍ରୁ ରେ ଲେଖା ।

 

କେଉଁଠାରେ କହ      ରଖି’ଛୁ ଲୁଚାଇ

ଲବଙ୍ଗଲତିକା ମୋର,

ସୁଧାଂଶୁବଦନା,      ପଙ୍କଜନୟନା,

ସୁଷମା ସୁଗୁଣାକର ?

 

କହ ରେ ସତ୍ଵର      ପଡ଼ି ତୋ ମଧ୍ୟର

ଖୋଜିବି ଜୀବନଧନ !-

ମୋ ବିନା ଜୀବନ      ଉଡ଼ି ଯାଉଥିବ,

ମୂର୍ଚ୍ଛା ଯାଉଥିବ ଘନ ।

 

ଅବନୀ ଉପର      ଲୋଟୁଥିବ ମୋର

ସୁକୁମାରୀ ସ୍ୱର୍ଣ୍ଣଲତା !

ଆରେ ରେ କାହିଁକି      ଯାଉ’ଛୁ ଲେଉଟି ?

କହ ମୋ ପ୍ରିୟା-ବାରତା !

 

ନୋହିଲେ କହରେ,      ମରିବି ଏସ୍ଥଳେ

ଝୁରି ଝୁରି ତାହା ପାଇଁ-

କହିଯା ସେ କଥା,      କିପାଁ କରୁ ଦକା ?-

ସଖୀ ମୋର କାହିଁ ନାହିଁ !!’’

 

ବିକଳେ ଏସନ      ଅଶ୍ରୁ ବିସର୍ଜନ

କରୁ କରୁ ମୂର୍ଚ୍ଛାଗତ ।

ଶୀତଳ ସୁଗନ୍ଧ      ପବନ ସଞ୍ଚାରେ

ଉଠି ଦେଖେ ଦିନ ଅସ୍ତ ।

 

ଆଲୋକି ଗଗନ      ଉଜ୍ୱଳବରଣ

ଉଠିଲା ଚନ୍ଦ୍ରମାଚାରୁ,-

ବାହୁଡ଼େ ନବୀନ      ତା ଦେଖି ସୁଦୀନ

କୁଟୀରକୁ ପର୍ବତରୁ ।

 

ଦ୍ୱିତୀୟ ସର୍ଗ - ପ୍ରେମଲତିକା

ମନୋହର କେଡ଼େ ଯେବେ କୁହୁ କୁହୁ ସ୍ୱରେ

ଡାକେ ବନେ ପିକରାଜ, ବସି ନିଶ୍ଚଳରେ !

ବିଧୁରପ୍ରେମିକ ମନ ହୁଅଇ ବିଧୁର-

ବୋଲଇ ‘ପଞ୍ଚମସ୍ୱର ତୋହରି ନିଷ୍ଠୁର ।’

ନିତି ନିତି ବନେ ବନେ ପ୍ରେମିକ ନବୀନ

ପ୍ରେମଚିନ୍ତା ପ୍ରେମଧ୍ୟାନେ କାଟୁଥାଇ ଦିନ ।

ନିତି ନିତି ବସେ ଯାଇ ପର୍ବତ-ଶୃଙ୍ଗରେ;

ମତ୍ତ ହୁଏ, ଭୋଳ ମନେ ପ୍ରେମଗୀତ ଧରେ ।

ନ ଯାଏ ମନରୁ ବାମା ସେ ଲବଙ୍ଗଲତା-

ଗଛପତ୍ରଠାରେ ସଦା ଖୋଜଇ ବାରତା ।

ଲବଙ୍ଗଲତାର ରୂପ, ତାହାରି ଲାବଣ୍ୟ,

ମିଷ୍ଟହାସ, ମଧୁଭାଷ, ଭାବଭଙ୍ଗୀମାନ;

ଲତା ପାଦପକୁ ସେହୁ ପ୍ରେମପୁର୍ଣ୍ଣ ମନେ,

କହଇ, ପଶୁଙ୍କୁ, ମଧ୍ୟ ବନବିହଙ୍ଗମେ ।

ନିତି ପର୍ବତରେ ବସି ସମୁଦ୍ର ଆଡ଼କୁ

ଏକଦୃଷ୍ଟେ ଚାହିଁଥାଏ-ଆଶା ଦେଖିବାକୁ

 

ଦ୍ୱୀପଠାକୁ ପୋତ ଏକ ବାହି ଆସିବାର,;

ନ ହୁଏ କଦାପି କିନ୍ତୁ ଆଶା ପୂର୍ଣ୍ଣତାର ।-

କାହିଁକି କେ ବନାବୃତ ନିବିଡ଼, ନିର୍ଜ୍ଜନ

ଦ୍ୱୀପକୁ ଆସିବ ? ଆସି କେଉଁ ପ୍ରୟୋଜନ ?

 

ନିତି ଆସି ବସି ନଗେ ଦେଖଇ ସାଗର,

ମନଦୁଃଖେ ସନ୍ଧ୍ୟା ହେଲେ ଫେରିଯାଏ ଘର ।

ଆଖିଜଳ ମରେ, ନିତି ଭରସା ଓ ଭୟ

ମହାଯୁଦ୍ଧେ ବିଲୋଡ଼ିତ କରନ୍ତି ହୃଦୟ ।

 

ବସି ଦିନେ ନଗଶୃଙ୍ଗେ ହୃଦୟବିକଳେ,

ବିକଳ ଉକତି କଲା ବିକଳସୁରରେ ।-

‘‘ଧନ ଆଶା କିପାଁ ଲୋକେ କରନ୍ତି ଏ ଭବେ,

ନ ଜାଣନ୍ତି ସେ ଆଶାରେ ମରିବେ ସରବେ ?

 

ଅପୂର୍ବ ଭାରତବର୍ଷ ମହା ରାଜଧାନୀ

କଲିକତା ଯାଉଁ ମୁହିଁ-ଯାଉଁ ମୁଁ ନ ଜାଣି-

ଅର୍ଣ୍ଣବପୋତରେ, ହୋଇ ଆଶାପୂର୍ଣ୍ଣ ମନ,

ଉଡ୍ରଦେଶଠାରୁ-ଜନ୍ମଭୂମି ମହାଧନ-

 

ପ୍ରବଳ ପବନ ହେଲା ଉଥିତ ବାଟରେ,

ବେଗରେ ଭସାଇନେଲା ତରଣୀ ସାଗରେ,-

ନାବିକେ ହତାଶମନେ ଛାଡ଼ିଦେଲେ କଳ,

ପ୍ରବଳ ପବନ କତି ତୁଳ କାହା ବଳ ?

 

ମଗ୍ନ ହେଲା ଅବଶେଷେ ବହୁଦୂରେ ତରୀ,

ପଡ଼ିଲି ଏ ଦ୍ୱୀପେ ଆସି ଏକା ମୁଁ ନ ମରି

କି ଦୁଃଖ ଥିଲା ମୋ ତହିଁ ? କାହିଁ କି ବିଧିରେ

ସାକ୍ଷାତ ହୋଇଲା ପୋତେ ଲବଙ୍ଗ ସଙ୍ଗରେ ?

 

କିପାଁଇ ତା ପ୍ରତି ହେଲା ପ୍ରେମଭାବ ଜାତ ?

ତା ପାଇଁ ମୁ ଏବେ ସିନା ଏତେ କଷ୍ଟ ପ୍ରାପ୍ତ ?

ନାହାନ୍ତି ମୋ ପିତା ମାତା ଭାଇ ବନ୍ଧୁ କେହି,

ସୁଖେ ଥିଲି, ବିଧି ତହିଁ ଦେଲେ କଷ୍ଟ ଭେଇ ।

 

କାହୁଁ ସେ ସୁନ୍ଦରୀ ବାମା ଲବଙ୍ଗ ଆସିଲା ?

ପ୍ରଥମ ସାକ୍ଷାତେ ପ୍ରେମପାଶରେ ବାନ୍ଧିଲା ।

ଲବଙ୍ଗ ତୁ ମୋର ପ୍ରାଣ, ଏକା ମୋ ଜୀବନ,

ତୋ ବିନା ବୃଥା ଏ ମୋର ଜୀବନଧାରଣ ।’’

 

ଏହିପରି ନିତି ନିତି ବିହରଇ ବନେ-

ଲବଙ୍ଗଲତିକା ଏକା ଧ୍ୟାନ ସଦା ମନେ ।

ଲବଙ୍ଗ ପାଇଁକି ହେଲା ନବୀନ ବାତୁଳ,

ଲବଙ୍ଗକୁ ଛାଡ଼ି ସବୁକଥା ମନୁଁ ଦୂର ।

 

ଏସନ ରୂପରେ            ବୁଲୁଁ ସେ ବନରେ,

ଦିନେ ହେଲା ଉପନୀତ,

ପ୍ରସ୍ତର ନିର୍ମିତ,            ହରିନିଏ ଚିତ୍ତ

ପ୍ରାସାଦ ଅତ୍ୟୁଚ୍ଚ ସିତ ।

 

ବନରେ ଆବୃତ            ବନର ପ୍ରାସାଦ,

ବନ ହିଁ ଚୌଦିଗେ ଦେଖା

ଶ୍ୟାମଳ ବରଣ            ପ୍ରୀତିର କାରଣ,

ଢ଼ାଙ୍କିଛି ଧବଳ ରେଖା !

 

ଅଥବା ଗଗନ            ଶ୍ୟାମଳ ବରଣ

ମେଘେ ଯଥା ହୋଇଥାଇ,

ଢଳି ଢଳି ଆହା      ସୁଚାରୁ ଚନ୍ଦ୍ରିମା

ତହିଁ ମଧ୍ୟେ ଦେଖାଯାଇ !

 

ଦେଖିଲା ନବୀନ            କଥାଏ ନବୀନ

ବନରେ ପ୍ରସାଦ ଚାରୁ,

ଧବଳବରଣ            ଚିତ୍ତବିମୋହନ,

ଧବଳ ଚନ୍ଦ୍ରମାଠାରୁ ।

 

ଅବାରିତ ଦ୍ୱାର            ଅଛଇ ସର୍ବଦା,

ନାହିଁ କେହି ଦ୍ୱାରବାନ;

ଶୁଭୁ ନାହିଁ ତହିଁ            ମନୁଷ୍ୟ ଶବଦ ।

ଏ ଅତି ଆଶ୍ଚର୍ଯ୍ୟ ଜାଣ ।

 

ପଶିଲା ନବୀନ            ସଭୟ ହୃଦୟେ,

ଦେଖିଲା ସୁନ୍ଦରୋଦ୍ୟାନ-

ଶୋଭିତ ନାନାଦି            ସୁରଭିପୁଷ୍ପରେ;

ତା ପାଶେ ଅଛି ସୋପାନ ।

 

ଧୀରେ ଧୀରେ ଧୀରେ,      ସଭୟ ଅନ୍ତରେ,

ଏକ ଏକ କରି ପୁଣି,

ଅତିକ୍ରମ କଲା            ସୋପାନ ଶ୍ରେଣୀ ସେ

ଭୟ ମନେ ମନେ ଗୁଣି,

 

ଭ୍ରମିଲା ଚୌଦିକ,            ଏ ଘର ସେ ଘର,

ଭୟ ଓ ଆନନ୍ଦମନେ ।

କାହିଁ’ଛି ସୁବର୍ଣ୍ଣ,            ମହାର୍ହ ବସନ,

ପୂର୍ଣ୍ଣ ହୀରା ନୀଳା ଧନେ ।

 

ବୁଲୁ’ଛି ଯେ ଜନ            ଜୀବ ତୁଚ୍ଛ କରି,

କାହିଁ ସୁଖେ ମନ-ଗତି ?

ସେ କିସ କରିବ            ହୀରାନୀଳାଧନ ?-

ତା ଧନେ ତାହାର ମତି ।

 

ଏ ଘର ସେ ଘର            ବୁଲଇ ସାଶ୍ଚର୍ଯ୍ୟ,

ନ ଦେଖଇ ଲୋକ କେହି ।

ଅତି ସୁସଜ୍ଜିତ            ବିସ୍ତୀର୍ଣ୍ଣ ଶାଳାରେ

ଉପନୀତ ଶେଷେ ସେହି ।।

 

ଦେଖିଲା ଅପୂର୍ବା            ମନୁଷ୍ୟା-ମୂରତି

ପଡ଼ିଛି ପଲ୍ୟଙ୍କ ପରେ ।

ଆଉ କେ ଘରକୁ            ଆଲୋକି ରହିବ ?

ଲବଙ୍ଗ ଦିବ୍ୟ ଶେଯରେ ।।

 

ତୃତୀୟ ସର୍ଗ - ଆଶାସ୍ୱପ୍ନ

ନନ୍ଦନ କାନନ ସମ            ଅଟଇ ପ୍ରେମୋପବନ,

ଭ୍ରମନ୍ତି ପ୍ରେମିକେ ସୁଖମନେ ।

ପ୍ରେମ-ଚିନ୍ତା କଳ୍ପବଟ,      ଧ୍ୟାନ ମନ୍ଦାକିନୀ-ତଟ,

ପାରିଜାତ ପ୍ରେମପୁଷ୍ପୋପମେ ।।

ଲଳିତ ଲବଙ୍ଗଲତା            ଉଠାଇ ମନୋଜ୍ଞ ମଥା

ଚଞ୍ଚଳ ନୟନେ ଦେଲା ଚାହିଁ ।-

କଟାକ୍ଷ ପ୍ରେମର ବାଣ      ବିନ୍ଧିଲା ମରମସ୍ଥାନ,

ହାଣ ହେଲା ଧୈର୍ଯ୍ୟ-ହୃଦେ ନାହିଁ ।।

ଅମଳ ବଦନ ସୁଧାକର-

ସ୍ୱଚ୍ଛ ସରସୀର ଜଳେ      କିବା ପ୍ରଫୁଲ୍ଲ କମଳେ

ଢ଼ଳିଥିଲା ନିଜ ଅଳସରେ,

ଧୀରଧୀର ଦକ୍ଷିଣ ସମୀର

କମ୍ପାଇ ଟେକିଲା ମତ      ଉଠିଲା ଶଯ୍ୟାରୁ ଦ୍ରୁତ

ଫେରିଲା ତେସନ ସେକାଳରେ ।।

ସତେ କି ବିଷମ ଭ୍ରାନ୍ତି ?- ମୁଖରେ ଆଶ୍ଚର୍ଯ୍ୟକାନ୍ତି

ଦୁଃଖଭାବ ସଙ୍ଗେ ମିଶି ମିଶି,

 

ପ୍ରକାଶି ଭୀଷଣ ଖେଳା,      ଛିଣ୍ଡାଇ ମନର ଭେଳା,

ଏକାସଙ୍ଗେ କ୍ଷଣେ ଗଲା ଦିଶି !

ଏ କିସ ଅଶ୍ଚର୍ଯ୍ୟ ଭାବ ! ନାହିଁ କି ପ୍ରେମର ଠାବ ?

ପ୍ରେମ କି ପୁରୁଷେ ଜଣା ନାହିଁ ?

 

ସଂସାର ସୁଖର ଧାମ      ଛାଡ଼ି ପଳାଇଛି ନାମ ?-

ଅଥବା ଏଠାରୁ ଲଜ୍ଜା ପାଇ ?

ନୋହିଲେ ଲବଙ୍ଗଲତା,      ଏ ବଡ଼ ଆଶ୍ଚର୍ଯ୍ୟ କଥା,

ଜୀବନନବୀନ ସମ୍ମୁଖରେ

 

ଉଭା ହୋଇ ଥାଉଁ ଥାଉଁ       କିପାଁଇ ମନକୁ ଆଉ

ନ ମୋହଇ ମିଷ୍ଟ ଆଳାପରେ ?

ଯେ ଜନ ମନକୁ ଥରେ      ହରିଥିଲା ଅଜ୍ଞାତରେ,

ଯା-ମନ ପିନ୍ଧି’ଛି ଜ୍ଞାନମାଳା,

 

ଶ୍ରେଷ୍ଠ ଯେ ରସିକଜନେ- ମନ ପ୍ରେମ-ଆଳାପନେ

ମୋହେ, ଯେହ୍ନେ କପୋତର ଗଳା;

ଅଧରେ ମଧୁର ହାସ      ପବିତ୍ର ଭାବ ପ୍ରକାଶ

କରି ଯା ହରଇ ପ୍ରାଣ ମନ,-

 

ସୁରଙ୍ଗ ସାନ୍ଧ୍ୟ ମୁଦିରେ      ଚପଳା ଯେସନେ ଖେଳେ

ଯା ଭାବେ ବିମୁଗ୍ଧ ବିଶ୍ୱଜନ,

ଯା ସଙ୍ଗରେ ପ୍ରେମ କରି      ମନେ ମନ ଦୃଢ଼େ ଧରି

ଲତା ପରି ବୃକ୍ଷେ ଥିଲା ଜଡ଼ି,

 

ସେହି ସେ ନବୀନ ଧନ      ସମ୍ମୁଖେ ଦଣ୍ଡାୟମାନ

ବହୁଦିନେ ବହୁଦୁଃଖେ ପଡ଼ି,

ଭଗ୍ନତରି ହେଲା ଦିନୁଁ      ଜୀବନ-ଭରସା ମନୁଁ

ଯାଇଥିଲା ଯାହାର ସେ ଏବେ

 

ସମ୍ମୁଖରେ ଛିଡ଼ା ହୋଇ      ସୁଖର ଭାବକୁ ବହି,-

ନ ଭାଷେ ତାହାକୁ କିପାଁ ତେବେ ?

ବିସ୍ମିତ ମତରେ ଏହୁ ବିପରୀତ ଭାବ

ଦେଖି ଦୁଃଖଗ୍ରସ୍ତ ହେଲା ନବୀନ-ସ୍ୱଭାବ,-

 

ଅକସ୍ମାତ ମେଘ କାହୁଁ ଢ଼ାଙ୍କିଲା ଗଗନ ?-

ନୋହୁଣୁଁ ଉଦିତ ଗତ ପ୍ରଭାତତପନ !

ସବିନୟ ଅନୁନୟ ମନରଖା କଥା

କହିଲା ସେ କେତେମତେ ମନେ ପାଇ ବ୍ୟଥା,

 

ଉଠିଲା ନାହିଁ ସେ ରାମା ନ ଚାହିଁଲା ଥରେ,-

ଅଧିକେ ଉଥିତ ମେଘ ଘନୀଭୂତ କରେ ।

ଲବଙ୍ଗର ଭାବ ଦେଖି କ୍ଷୀଣ ବୁଦ୍ଧିବଳ,

ସୁଦୀନ ନବୀନ-ମନ ହୋଇଲା ବିକଳ ।

 

ଅବଶେଷେ ନମ୍ରଭାବେ କହିଲା ସେ ଧୀରେ,

‘ଥାଅ ଗୋ ସୁନ୍ଦରି ! ଭୋଗସୁଖେ ପୃଥିବୀରେ,

ଯାଉଅଛି ମୁହିଁ ଏକା ସଂସାର ତେଜିଣ,

ରଖ ବା ନ ରଖ ମନେ ତୁମ୍ଭେ ତା କାରଣ !

 

ବିକ୍ରୀତ ଏ ଦୀନମନ ତୁମ୍ଭରି ନିକଟେ,

ନାହିଁ ଡ଼ର ତୁମ୍ଭପାଇଁ ପଡ଼ିଲେ ସଙ୍କଟେ ।

ତୁମ୍ଭରି ଭାବନା ଭାବି ମନରେ ବିକଳ;-

ତଥାପି ତା ବିନା ନାହିଁ ପୃଥିବୀରେ ସ୍ଥଳ ।

 

ଆଉ କି କହିବି ?-ମନେ ରଖିଥିବ-ଦୀନ

ଲବଙ୍ଗର ପ୍ରେମେ ପଡ଼ିଥିଲା ଏ ନବୀନ ।।’

ରହିଲା ନିଷ୍ଠୁରା ହୋଇ ରାମା ପୂର୍ବପରି,-

ହତାଶ ନବୀନ ଦୁଃଖେ ଅଇଲା ବାହାରି !!

 

ଚତୁର୍ଥ ସର୍ଗ - ଅର୍ଣ୍ଣବଯାନ

ପ୍ରତିଦତ୍ତ ପ୍ରେମ ଅଟଇ ମଧୁର,

ଅମୃତହୁଁ ବଳି ମଧୁର ଅଟେ,-

ସୁନ୍ଦର ପ୍ରସୂନେ ସୌନ୍ଦର୍ଯ୍ୟ ପ୍ରଚୁର

ଯେବେ ଆହା ତହୁଁ ବାସ ଚହଟେ ।

ନୀଳିମବରଣ ବିସ୍ତୀର୍ଣ୍ଣ ଜଳଧି

ତରଙ୍ଗଭଙ୍ଗରେ କରୁ’ଛି କ୍ରୀଡ଼ା,

ନୀଳିମଗଗନ ଚୌଦିଗ-ଅବଧି

ପ୍ରକାଶେ ପ୍ରକୃତିସତୀର ବ୍ରୀଡ଼ା ।

ଉଥି ତତରଙ୍ଗ ସଞ୍ଜାତ ଫେନରେ

ନିମିଷକେ ସିନ୍ଧୁ ଯେ ବେଶ ପିନ୍ଧେ,

ପ୍ରକ୍ଷିପ୍ତଜ୍ୱଳନ୍ତପତଙ୍ଗତେଜରେ

ଆକାଶବିତାନ ତାହାକୁ ନିନ୍ଦେ ।

ଆଉ ଦେଖ କେଡ଼େ ଅଟେ ମନୋହର,

ହୋଇଅଛି ଥୁଆ ଶୋଭାର ଡାଲା-

ନୀଳିମ ଅମ୍ବର ଅମ୍ବୁଧି ମଧ୍ୟର

ଧବଳ ସୂର୍ଯ୍ୟଙ୍କ କିରଣ-ମାଳା !

 

ନୁହଇ ନୁହଇ ଧବଳ କିରଣ;

ନୁହନ୍ତି ସୂର୍ଯ୍ୟ ସେ-ବିଭୁଙ୍କ ଛବି;

ଯଶୋଗାନ ଯାହା ସାଗରଗର୍ଜନ

ଉଠିଯାଏ ଶୁଭ୍ର ମୂରତି ଲଭି !

 

ପଡ଼ୁ’ଛି ତରଙ୍ଗ ତରଙ୍ଗ ଉପରେ,

ପ୍ରେମ ଅଳସରେ ପଡ଼ୁ’ଛି ଢ଼ଳି !

ପ୍ରେମତରୀ ଆହା ପ୍ରେମରେ ଉଠାଇ

ପ୍ରେମଭରେ ଧୀରେ ଦେଉ’ଛି ତଡ଼ି

 

ସିନିଗ୍ଧଗମ୍ଭୀରନିର୍ଘୋଷ ସାଗର

ଗଡ଼ି ଗଡ଼ି ପଡ଼ି ପଡ଼ି ଚାଲୁ’ଛି,

ଚାଲୁ’ଛି ତରଣୀ ଅର୍ଣ୍ଣବ ମଧ୍ୟର,

ନବୀନ ତହିଁରେ ଗୀତ ଗାଉ’ଛି ।-

 

‘‘ମହାର୍ହ କଷଣ ଅଟଇ ପ୍ରଣୟ

କରି’ଛି ଯେହୁ ତା ଜାଣି’ଛି ଚିତ୍ତେ,

ତେସନ ଭୀଷଣ ଭୁଜଙ୍ଗେ ବେଷ୍ଟିତ

ପଦ୍ମବନୁଁ ପଦ୍ମ ତୋଳିବା ଭୀତେ ।

 

‘‘ପ୍ରଣୟ ଅଶେଷ ସୁଖଦ ଅଟଇ

ଲୋକଙ୍କୁ ଏକା ସେ କରଇ ଲୋକ,

ତୋଳିତ ପଙ୍କଜ ଅଶେଷ ପ୍ରକାରେ

ସୌନ୍ଦର୍ଯ୍ୟ ଆମୋଦେ ହରଇ ଶୋକ ।

 

‘‘ଶୋଭିତ ବୃକ୍ଷରେ ସୁରଙ୍ଗ ଗୋଲାପ

ସୁବାସେ ମୋହିତ ଚୌଦିକ ସ୍ଥିର,

ସାବଧାନେ ତୋଳ ପ୍ରଣୟି ! ନୋହିଲେ

ଶରୀର ବସନ କଣ୍ଟକେ ଚିର ।

 

‘‘ଏ କିସ ବିଧିର ବିଧାନ ଅଟଇ ?-

ପରମନ ହୁଏ ଅଜ୍ଞାତେ ଚୋରି !

ଯେ କଲା ଚୋରି ତା ମନରେ କାହିଁକି

ଲଗାଇ ନ ପାରେ ସେ ତେବେ ଡ଼ୋରି ?

 

‘‘କହିବା କାହାକୁ ବିଧାତା ରାଜନ

ଥାଉଁ ଥାଉଁ ଚୋରି ଅନ୍ୟାୟ ଏଡ଼େ !

ତପନତାପରେ ତମସ ରହିଲେ

କିଏ ସେ ସେ କଥା ଶୁଣିବ ବେଳେ ?

 

‘‘ଯା’ବଳ ଖଟିଲା କଲା ହୃଦ ଚୋରି

ରହିଲା ମନୁଷ୍ୟ ଲୋତକ ତେଜି,

ହୃତପୁଷ୍ପ-ବୃନ୍ତ କ୍ଷୀରାଶ୍ରୁ ବର୍ଜନ

କରି ରହେ ଯଥା ଦୁଃଖକୁ ଭଜି ।

 

‘‘ଯେସନ ଭୀଷଣ ତେସନ ସୁଖଦ

ପ୍ରେମର ସାଗର ସାଗର ପରି,

କା’ ଭାଗ୍ୟେ ରତନ, ଭାଗ୍ୟକୁ କେ ଲୋକ

ଜଳଜନ୍ତୁ ଯୋଗେ ମରଣେ ପଡ଼ି !

 

‘‘ହରେ ମନ ଦୁରୁଁ ତରଙ୍ଗଭଙ୍ଗରେ

ନିଜ ବର୍ଣ୍ଣେ ପୁଣି ହରଇ ମନ,

ହତାଶ ଲବଣଜଳ କେ ଆସ୍ୱାଦି-

କା ଭାଗ୍ୟେ ସୁମିଷ୍ଟ କ୍ଷୀରାବ୍ଧିବନ !

 

‘‘ଆଶ୍ଚର୍ଯ୍ୟ ବିଧିର ବିଧାନ ବିଶ୍ୱରେ-

ହୃଦ-ଚୋର ପୁଣି ଅଛନ୍ତି ଭବେ ?

ଯେ ଯାହାକୁ କେଭେ ଭ୍ରମେ ନ ଚିନ୍ତଇ

ତା’ପାଇଁ କଷଣ ଅଶେଷ ଲଭେ ।’’-

 

ଯାଇ ଦିନମଣି, ଆସଇ ରଜନୀ,

ଆସଇ ଚନ୍ଦ୍ରମା ଦିବସ ପରେ,

ସୁବେଶଧାରିଣୀ, ସତୀ, ସୁହାସିନୀ

ଉଅଁଇ ପ୍ରକୃତି କେତେ ରଙ୍ଗରେ;

 

ଦ୍ୱିତୀୟପ୍ରହର -ସୁନୀଳ ଅମ୍ବର

ଅତି ପରିଷ୍କାର ଝଲକେ ଆଖି,

ସୁବର୍ଣ୍ଣ ମେଘରେ ରଞ୍ଜିତ ରଙ୍ଗରେ

ସାନ୍ଧ୍ୟ ଗଗନ ସେ ତାପରେ ସାକ୍ଷୀ,

 

ଏସନ ରୂପରେ, ବିଧି ବିଧାନରେ,

ଦିନ ରାତି ଆସି ଯାଆଇ ରଙ୍ଗେ;

ଚାଲୁ’ଛି ତରଣୀ ସୁଖ ମନେ ମଣି-

ଲୋଳୁ’ଛି ତରଣୀ ତରଙ୍ଗଭଙ୍ଗେ ।

 

ଫୁଟଇ ତାରକା, ଉଠଇ ଚନ୍ଦ୍ରମା,

ଉଦିତ ପୂଷଣ ପୂରୁବେ ରଙ୍ଗେ;

ଧରି ତରି ଗଜଗମନ ଭଙ୍ଗିକି

ଚାଲୁ’ଛି ଦେଖନ୍ତି ତରଙ୍ଗସଙ୍ଗେ ।

 

ବିଭବାବିଭବ, ବିଭୂତି, ବିପ୍ଲବ,

ବ୍ରହ୍ମାଣ୍ଡେ ବିଧାତାବିଧାନବଳେ,

ଗରଳ ଅମୃତ, ଅମୃତ ଗରଳ

ହୁଅଇ, ଏକକୁ ଆରେକ ଫଳେ ।

 

ସାକ୍ଷାତ ସାଗରେ ସୁନୀଳାକାଶରେ

ସୁଶୋଭା ଦେଖି ଯେ ଯାଉ’ଛି ତରି;-

ପଚାର, ନବୀନ କହିବ ଏକ୍ଷଣି

ପ୍ରତିକୂଳଦୈବେ କି ଫଳ ଫଳି ।

 

ପୁଣି ହୋ ଆଶ୍ଚର୍ଯ୍ୟ, ଆଶଙ୍କା ଯହିଁରେ

ଫଳେ ବିପରୀତ ତହିଁରେ ଫଳ !

ଅଧିକ ଏଥିରେ କି ହେବ କହିଲେ ?-

କ୍ଷୁର୍ଣ୍ଣ ପାଦାଙ୍ଗୁଷ୍ଠ ଦୃଷ୍ଟାନ୍ତ ସ୍ଥଳ ।

 

ଆଉ ଏ କାଳରେ, ମରଣ-ଆଶରେ,

ବସିଛି ନବୀନ ଦଗ୍ଧାଶମନେ;

ଅନୁକୂଳ ଦୈବେ ଦୁର୍ବଳା ତରଣୀ

ଆଶଙ୍କା-ଦୂରରେ ଦେଖ କେସନେ ।

 

ବୁଝି କେ ପାରିବ ବିଧାତାବିଧାନ ?

ତୁଚ୍ଛାକୁ ମନୁଷ୍ୟେ କରନ୍ତି ଆଶା;

ବିଷୟ ନ ବୁଝି ବଧିରେ ଯେସନ

ଇଚ୍ଛା ଅନୁସାରେ ଭାଷନ୍ତି ଭାଷା ।

 

ଚାଲୁ’ଛି ତରଣୀ ଚାଲୁ’ଛି ରଙ୍ଗରେ,

ତରଙ୍ଗଭଙ୍ଗରେ ତରଙ୍ଗ ପରେ;-

ଅଥବା ଅର୍ଣ୍ଣବ ଖେଳିବା ଆଶରେ

ଖେଳା କରେ ଆହା ଆନନ୍ଦଭରେ !

 

ହେଉ ଯା, ତରଣୀ ଚାଲୁ’ଛି ରଙ୍ଗରେ

କେତେଦୂର ଯିବ ନାହିଁ ଠିକଣା ।

ବସି’ଛି ନବୀନ, ପ୍ରେମେ ଦୀନହୀନ,

ଗାଉ’ଛି ଗୀତ, ବା ହେଉ’ଛି ବଣା ।

 

ପଞ୍ଚମ ସର୍ଗ - ପ୍ରେମ-ମିଳନ

ବର୍ଷାଶେଷେ ଦିବାକର ଅଟନ୍ତି ଉଜ୍ଜ୍ୱଳ

ତମ-ଅପଗମେ କେଡ଼େ ଆଲୋକ ଶୋଭନ ।

ଦୁଃଖ ପରେ ସୁଖ ଦେଖ ରମଣୀୟତର,

ବିଚ୍ଛେଦାନ୍ତେ ଯଥା ଯେବେ ପ୍ରେମର ମିଳନ !

ଋତୁଗତ ଦୁଃଖେ ଦୁଃଖୀ ପିକବର ପ୍ରାଣେ,

ବସନ୍ତେ ମଧୁରାଳାପେ ମୋହେ ଜଗଜ୍ଜନ !

ପରଭୃତ ପରି ପୁଣି ଆପଣାକୁ ଜାଣେ,

ବିରହୀ ପ୍ରେମିକ ପାଇ ପ୍ରେମର ମିଳନ ।

ଅସିତ ଅଷ୍ଟମୀ-ନିଶି ଘୋର ଅନ୍ଧକାରେ

ଲିପ୍ତ ଥାଏ ଯଥା ଆହା ବିରହିର ମନ !

ସୁନ୍ଦର ଶଶାଙ୍କ ଏକା ନାଶେ ସତ କରେ ।

ଶାନ୍ତି ଉପୁଜାଇ ଯେହ୍ନେ ପ୍ରେମରୁ ମିଳନ !

ଗୋଳ କରି ଗୋଦାବରୀ କଳକଳ ସ୍ୱରେ

ସାକ୍ଷାତକୁ ଯାଉଅଛି ସମୁଦ୍ର ସଙ୍ଗର,

ରୌପ୍ୟସମ ସ୍ୱଚ୍ଛବନ କେଡ଼େ ଶୋଭା ଧରେ,

ତାକୁ ସେ ଉପମା ଶ୍ୟାମ କାନନ ଭିତର !

 

ତହିଁ ପୁଣି ଦିନମଣି ଉଗ୍ରମୂର୍ତ୍ତି ଧରି

ବିକୀରନ୍ତି କୋପେ କର କାଳାନଳ ସମ;-

ନାହିଁ ତ୍ରାଣ, ନିଜପ୍ରାଣ ଦେଖି ଗୋଦାବରୀ

ଉତ୍‌କ୍ଷିପ୍ତ କିରଣେ ମାରେ ଶତପ୍ରହରଣ ।।

 

ଦିଅଶାଣ ନିଆବାଣ ମାରେ ଚତୁର୍ଦିକ-

ସୂର୍ଯ୍ୟଙ୍କର କୋପେ ପର ହୋଇ କୋପମତି !

ଘୋରରଣ ପ୍ରତିକ୍ଷଣ କରୁ’ଛି ଅଳୀକ

ପ୍ରକୃତିଦେବୀଙ୍କ ସ୍ଥିରା ପ୍ରଶାନ୍ତା ମୁରତି ।।

 

ଗତରବ ଜୀବ ସର୍ବ ଦେଖି ସେ ସମର-

କୋମଳ ପଲ୍ଲବ ନବ ପ୍ରାଣ ଗଲା ପରି,

ସୁଖୋଦ୍‌ଗତା ବନଲତା ବିକଳେ ନିଶ୍ଚଳ,

ଆନତ ଆନନେ ମ୍ରିୟମାଣ ରୂପ ଧରି ।।

 

ପୂର୍ଣ୍ଣ ବଳ ପ୍ରଭାକର ଧରି ଷୋଳକଳା

କରୁଛନ୍ତି ରାଜ୍ୟ ଅବା ହୁଅଇ ପ୍ରତୀତ,-

କି କାରଣ ଘୋରବନ ଦଣ୍ଡକ କାନନ

ହୁଅନ୍ତା ଉତ୍ତପ୍ତ ଯାର ଶୀତଳତା ମିତ ?

 

ଦାବାନଳ ସୁପ୍ରବଳ ପ୍ରକାଶିଣ ବଳ

ପ୍ରଚଣ୍ଡମୂର୍ତ୍ତିରେ ସବୁ ଭସ୍ମୀଭୂତ କରେ-

କରାଳ ସେ କାଳ ଅବା ଅନଳସାହାଯ୍ୟେ

କରେ ଉଦରସ୍ଥ ସବୁ ପ୍ରଳୟ ଆଶରେ ?

 

ନବୀନ ତପସ୍ୱୀ ଏକ ଗୋଦାବରୀତୀରେ

ଆସୀନ ଉନ୍ନତବଟବୃକ୍ଷଚ୍ଛାୟାଶ୍ରୟେ-

ବଡ଼ଦୁଃଖ ଲୋକମୁଖ ଦେଖି ନ ଥିବାରୁ

ବହୁଦିନ ହେଲା, ମନ ବହୁକଷ୍ଟ ସହେ ।

 

କ୍ଲାନ୍ତ କେ ପଥିକ ଆହା ଏସନ କାଳରେ,

ପ୍ରକୃତିଗତିରେ ହୋଇ ତୃଷାତୁର ଅତି,

ଆସୁଁ ସ୍ରୋତସ୍ୱିନୀତୀରେ ସନ୍ନ୍ୟାସିକି ଦେଖି

ଭାଷିଲା ମଧୁର ଭାଷା ଚାହିଁ ତାହା ପ୍ରତି ।

 

‘‘ମୁନିବେଶଧାରି ଅହୋ ନବୀନ ତାପସ !

ଦଗଧ ଏ ବନସୀମା ଅଟେ କେଉଁଠାରେ ?

କେଉଁ ବାଟେ ଗଲେ ହେବ ଅଚିରେ ଉଦ୍ଧାର

ଅନଳକୁଣ୍ଡରୁ ଶୀଘ୍ର ଉଦ୍ଧରି କେ ପାରେ ?

 

ସରୁ ନାହିଁ ବନ ଅବା ଚାଲିବି ମୁଁ କେତେ,

ଦଗଧ ପ୍ରାଣକୁ ଦଗ୍ଧ କରେ କ୍ରୂର ମନେ !

ପ୍ରଳୟଜନକ ଭୀଷ୍ମ ପ୍ରବଳ ଅନଳୁଁ

ପରିତ୍ରାଣ-ପ୍ରତିଆଶା କେଉଁ ବାଟେ କ୍ଷଣେ ?

 

ପ୍ରଚଣ୍ଡ ତପନ, ପୁଣି ଦାବାନଳ କାଳ,

ପ୍ରକୀର୍ଣ୍ଣକଣ୍ଟକ ମାର୍ଗ ପୀଡ଼ୁ’ଛି ପରାଣ !

କରୁଣା କରିଣ ବାରେ ଦେଖାଇଣ ଦିଅ

ଉଦ୍ଧାରର ପଥ, ଯେବେ ନିଶ୍ଚେ ତାହା ଜାଣ !’’

 

‘‘ଉଦ୍ଧାରର ପଥ’’ ତେବେ ଭାଷିଲା ତାପସ

‘‘ଉଦ୍ଧାରର ପଥ କାହୁଁ ପାଇବେ ଏଠାରେ ?

ସମଗ୍ର କାନନ ବେଢ଼ି ଭକ୍ଷଇ ଅନଳ

ଖାଣ୍ଡବକାନନ ଯେହ୍ନେ, ଆରୋଗ୍ୟଆଶାରେ !

 

ଶ୍ରୀରାମଚରଣପୂତ ଦଣ୍ଡକକାନନ

ବିଖ୍ୟାତ ବିସ୍ତୃତ ବହୁଦୂର ଚରାଚରେ,

ସୂର୍ଯ୍ୟଗ୍ରହେ ରାହୁରୂପ କରୁଛି ଭକ୍ଷଣ

କୃଷ୍ଣବତ୍ମା, ଅବଶେଷ କୃଷ୍ଣରୂପ ଧରେ ।

 

ଦୋଷୀ ସୂର୍ଯ୍ୟ ରାହୁଠାରେ ପୁରାଣପୃଷ୍ଠାରେ,

ନ ଜାଣେ ଦଣ୍ଡକ କିସ କରିଅଛି ଦୋଷ,-

ଧରି ମୂର୍ତ୍ତି ଭୟଙ୍କରା ଭୀଷଣ ଅନଳ

ବେଢ଼ି ଚତୁର୍ଦ୍ଦିକ ଗ୍ରାସେ କରି ବଡ଼ ରୋଷ ।

 

ଦିଶୁନାହିଁ ଯେଉଁ ଦିଗେ ଭୟର କାରଣ

ଭୟଙ୍କରତର ଅଟେ ସେହିଦିଗ ଅତି ।-

ଛକିଛି ଶାର୍ଦ୍ଦୂଳପରି, ଗଲେ ଆକ୍ରମିବ,

ପ୍ରତ୍ୟକ୍ଷେ ସୁମିଷ୍ଟଭାଷୀ ଲୋକ କ୍ରୂରମତି ।

 

ବିରୂପ ବଦନକାନ୍ତି କ୍ଲେଶ-ଆତିଶଯ୍ୟେ,

ଆବିଳ ଯେସନ ବର୍ଷାକାଳେ ନଦୀଜଳ ।

ସୂର୍ଯ୍ୟ ଓ ଅନଳବଳେ ରସାରସପରି

ଜୀବନସୌନ୍ଦର୍ଯ୍ୟରସ ହାରିଅଛି ବଳ ।

 

ସାର ଏ ବଦନ ଭାବ-ସ୍ୱଭାବ-ବ୍ୟଞ୍ଜକ,

ଶରୀର-ସଦନ-ଦ୍ୱାର କାଚରେ ନିର୍ମିତ,-

ଦୃଷ୍ଟ ମାତ୍ରେ ଜଣାଯାଏ ସମସ୍ତ କାଳରେ

କାଳପ୍ରାପ୍ତ ଭାବ ଯାହା ଅନ୍ତରନିହିତ ।।

 

ଅନୁମିତ ହୁଏ ଶୁଷ୍କ ମୁଖକାନ୍ତି ଦେଖି

ଅନଳ୍ପକ୍ଲେଶରେ ପଡ଼ି ନ ଥିବ ଭବରେ,-

ଏସନ ନିର୍ଦ୍ଦୟ କେହୁ ଯୌବନ-ବିକାଶ-

ପ୍ରଫୁଲ୍ଲପଙ୍କଜ ଦେଖୁଁ ଦେଖୁଁ ନଷ୍ଟ କରେ ?

 

ବନବାସୀ ସନ୍ନ୍ୟାସୀ ମୁଁ ଭ୍ରମେଁ ବନେ ବନେ

ବନଜାତ ଫଳ ମୂଳ କରେଁ ଆହରଣ,

ନବୀନ ଯୁବକ ! ଆସ ବସ ଏ ଠାବରେ-

ଶୀତଳଚ୍ଛାୟାରେ ଦୂର କରିବ କଷଣ ।

 

ତ୍ୟାଗ କର କ୍ଷଣ ସର୍ବ ମାନସଚିନ୍ତାକୁ-

ଅଭାବ ଅଳପ ଅଛି ଲୋକଙ୍କ ଭବରେ,

ତା ପୁଣି ଚପଳା ପରି ଚକିତେ ଯାଆଇ,

ପରିହର କ୍ଷଣ ସର୍ବ ସୁଖ-ଆରାମରେ ।।

 

ଭୀଷଣ ଅନଳ, ନଭୋବିହାରୀ ତପନ,

ଭୀଷଣ ମୂରତି ରୋଷେ ଧରିଛନ୍ତି ଏବେ,

ଶ୍ରମ ଶାନ୍ତ କର; ବାଟ ଦେଖାଇ ମୁଁ ଦେବି

ଗମିବ ସ୍ୱେଚ୍ଛାରେ ସର୍ବ ଶାନ୍ତ ହେବ ଯେବେ ।’’

 

ତାପିତା ପୃଥିବୀ ଯେହ୍ନେ ତପନ-ତାପରେ

ସଂଯୋଗେ ବରଷାବାରି ହୁଅଇ ଶୀତଳ,

ଶିଶିରକୋମଳ ସେହୁ ବଚନ-ଅମୃତ

ସିଞ୍ଚିଲା ଆଗନ୍ତୁ-ଦଗ୍ଧ-ହୃଦେ ବର୍ଷାଜଳ ।

 

ନବୀନ ଯୁବକ କଥା ଅଙ୍ଗୀକାର କରି

ନବୀନ-ତପସ୍ୱୀ ପାଶେ ବସିଲା ସୁଖରେ,

ମଧୁର ବଚନେ ସ୍ନିଗ୍ଧ ଦଗ୍ଧହୃଦୟକୁ

ଦ୍ୱିଗୁଣ ଶୀତଳ କରି ଶୀତଳାଶ୍ରୟରେ ।।

 

ଚତୁର ତାପସ ଦକ୍ଷ ଜୀବାବ୍ଧି-ନାବିକ

ରୁଚିର ସୁଫଳମାନ ସଂହରଣ କରି

ଅନୁରୋଧ ଯୁବକକୁ କଲା ବାରମ୍ବାର,

ବଳାଇଲା ମତି ଶେଷେ ହସ୍ତଲତା ଧରି ।।

 

ଏକାକୀ ଯୁବକ କିସ ବସିଲା ଅଶନେ ?-

ତାପସବରକୁ ବଳେ ବସାଇଲା ସଙ୍ଗେ;-

ବନଜ କଦଳୀ, ଆମ୍ର, ପନସ, ସପୁରି

ବିସ୍ତୃତ ଅଗ୍ରତଃ,-ମନ ଲୋଭଇ ସୁରଙ୍ଗେ ।

 

ବନର ମହିମା ବନ ପାଇଛି ଏକାକୀ

ତା ତୁଲେ ଏ ତ୍ରିଭୁବନେ ଛାର ସଭ୍ୟଦେଶ ।

ବାହ୍ୟିକ ସୌନ୍ଦର୍ଯ୍ୟ କେଉଁ ଫଳ ପ୍ରସବିବ ?

ମନ୍ଦ ନର୍ତ୍ତକର କିସ କରିବ ସୁବେଶ ?

 

କରୁ’ଛି ସ୍ୱୀକାର ସୁଖାଧିକ୍ୟ ନଗରରେ-

ପୂର୍ଣ୍ଣ ଆଡ଼ମ୍ବର ପୁଣି ବ୍ୟର୍ଥ ଅଳ୍ପଦିନେ;

ପ୍ରେମୀ ଏ ଦୁହିଁଙ୍କ ଆହା ସାମାନ୍ୟ ଭୋଜନ !

କେ ତୁଳ ତାହାକୁ ? ସବୁ ତାହାରି ଅଧୀନେ ।।

 

ସରଳହୃଦୟଧାରୀ ନବୀନ ତାପସ

ବହୁରସ ଜାଣେ, ବହୁ ସୁଗଳ୍ପ-ଆଧାର ।

ଗଳ୍ପଚ୍ଛଳେ ଯୁବକର ମନଚିନ୍ତା ଯେତେ

ତାପିତ ହୃଦରୁ ସୁଖେ କଲା ସେ ବାହାର ।।

 

କିନ୍ତୁ କଥା ଏକ କିସ କହିବା ଏଠାରେ-

ତେବେହେଁ ପ୍ରବଳ ଏକ ଚିନ୍ତାଭାବ ମନେ;

ନ ଗଲା ଭାସି ତା ସେହୁ ସୁଗଳ୍ପସ୍ରୋତରେ,

ଅଟଳ ଅଚଳ ଯେହ୍ନେ ସ୍ପଷ୍ଟ ପରାକ୍ରମେ ।।

 

ଭାବ, ଗତି, ନିଶ୍ୱାସରେ ଦେଖିଲା ତାପସ

ସ୍ଫୀତମନା ଯୁବା, ଦୁଃଖେ ଦୀନ ପୁଣି ମନ;

‘‘ନବୀନ ଯୁବକ’’ ଯତି କହିଲା ବିସ୍ମୟେ,

‘‘କହି କେଉଁ କାରଣରୁ ସୁଦୁଃଖ ଜନମ ?

 

ସୁବର୍ଣ୍ଣଶରୀରେ କାହୁଁ ବିବର୍ଣ୍ଣ ହୃଦୟ ?

ଗ୍ରାସିଅଛି ଦୁଃଖରାହୁ କିପାଁ ମନଶଶୀ ?

ଅପ୍ରତିପ୍ରଦତ୍ତ ପ୍ରେମ, ଅବିଶ୍ୱାସୀ ବନ୍ଧୁ,

ଲଗାଇ କେ ଅବା ଅଛି ଶୁକ୍ଲମନେ ମସୀ ?

 

ହରାଇଅଛ କି ପିତା, ମାତା, ପରିଜନ-

ତାହାଙ୍କ ମୃତ୍ୟୁରେ ବିଶ୍ୱ ବିକଳେ ତ୍ୟଜି’ ଛ?

ଅବା ଅନ୍ୟ ଗୁରୁତର କୌଣସି କାରଣେ

ଅସାର କରି କି ସାର ସଂସାର ମଣି’ଛ ?

 

ଗୁରୁତର କିଛି କା’ର କରିଥିଲ ଦୋଷ-

ତଡ଼ି ଦେଇ’ଛନ୍ତି କିସ ଘରୁ ସର୍ବେ ମିଳି ?

କାହିଁକି କା’ପାଇଁ କଷ୍ଟ ? ନିର୍ଦ୍ଦୟ ସ୍ତ୍ରୀଜନ

କେ ତବ ମନକୁ ଅଛି ପ୍ରତିପଦେ ପୀଡ଼ି ?

 

ତେଜ ସର୍ବ ଚିନ୍ତା ଭବବିଷୟ ଅଳୀକ-

ଅଳୀକ କଥାରେ ବ୍ୟର୍ଥ ଦୁଃଖକରା ମନେ,

ଐଶ୍ୱର୍ଯ୍ୟ, ପ୍ରଣୟ, ପ୍ରେମ, ସ୍ନେହ ଓ ବନ୍ଧୁତା

ଅସାର ଅନିତ୍ୟ ପାଣିଫୋଟକା ଯେସନେ ।।

 

ଐଶ୍ୱର୍ଯ୍ୟଜନିତ ସୁଖ ଜୁଆରିଆ ନଈ-

ଅନିତ୍ୟ ଓ ଅବିଶ୍ୱାସୀ, ଅତିଭୟଙ୍କର ।

ପ୍ରଣୟ, ବନ୍ଧୁତା, ସ୍ନେହ ଏକୁଁ ଆର ବଳି

ଦୁଃଖିକି କନ୍ଦାନ୍ତି, ସାର ନାମଟି ତାଙ୍କର ।।

 

ସଭିଙ୍କ ମଧ୍ୟରେ ପ୍ରେମ ଅତ୍ୟନ୍ତ ଅସାର,

ଛାର ତାହାଠାରୁ ନାହିଁ ସଂସାରଭିତରେ,

ପ୍ରମତ୍ତ ପୃଥ୍ୱୀରେ ପୁଣି ପ୍ରେମର ପ୍ରମୋଦେ

ହୁଏ ଯେ ଛାର ସେ ଶ୍ରେଷ୍ଠ ଛାରଙ୍କ ମଧ୍ୟରେ ।

 

ଅଧମା ସ୍ତ୍ରୀଜାତି, ପ୍ରତେ ନ ଯିବ ତାହାଙ୍କୁ-

ବିସମ୍ବାଦବିଷ ବଡ଼ ରୋପଣେ ନିପୁଣା,

ଦେଖିଲେ ଚରଣାଘାତେ ତଡ଼ିବ ଦୂରକୁ,

ଦୟାର ଅପାତ୍ର ସର୍ବେ, କର ତାଙ୍କୁ ଚୁନା ।’’

 

ନୋହୁଣୁଁ ନିର୍ଗତ ଶେଷ ତାପସଙ୍କ ଭାବ,

ବିଦ୍ୟୁତ୍‌ଝଲକି ବଜ୍ର ପଡ଼ିଲା ମସ୍ତକେ,-

ଉଜ୍ଜ୍ୱଳ ଲଜ୍ଜାର ଭାବ ଭାତିଲା ବଦନେ,

ପୃଥ୍ୱୀରେ ପ୍ରମାଦ ପୁଣି ପଡ଼ିଲା ପଲକେ ।।-

 

ସଂଶୟ ତାମସମନେ ଭାବଭଙ୍ଗୀ ଦେଖି

ଉପସ୍ଥିତ ହେଲା; ସୁଖେ, ସୁନ୍ଦର ବର୍ଣ୍ଣରେ,

ଆଶ୍ଚର୍ଯ୍ୟ ଚକ୍ଷୁରେ ପୁଣି ଦେଖିଲା ସନ୍ଦେହ-

ଦେଖିଲା ଦେଖିଲା ନବରୂପ ସମ୍ମୁଖରେ ।

 

ସ୍ତ୍ରୀଜନ-ଉଚିତ-ଲଜ୍ଜା ବଦନେ ପ୍ରକାଶ,

ରଞ୍ଜିତ କପୋଳେ ଆହା ହୃଦୟରଞ୍ଜିତା !

ଉନ୍ନତ ବକ୍ଷରେ-ସ୍ପଷ୍ଟ ପ୍ରତୀତ ରଙ୍ଗରେ-

ନବୀନ ଯୁବକ ନବ ପ୍ରେମର ଲତିକା ।

 

ଲୁଚାଇ ଥିଲା କି ନିଶା ଦିବସନାଥଙ୍କୁ,

ସକାଳ ହେଉଣୁ ପୂର୍ବେ ଉଦିଲେ ରଙ୍ଗରେ ?

ଘନ-ବନ୍ଦିଘରବାସୀ ସୁଚାରୁ ଚନ୍ଦ୍ରମା

ମୋହିଲେ ଅଥବା ମେଘଅନ୍ତେ ସିତ କରେ ?

 

‘‘ତାପସପ୍ରବର’’ ତେବେ ପ୍ରେମର ଲତିକା

ସ୍ୱଭାବ ପ୍ରକାଶୁଁ ବ୍ୟକ୍ତସଲଜ୍ଜଭାବରେ

କହିଲା ବିନୟ ସହ,‘‘ତାପସପ୍ରବର,

ଯାହା ଯା’ କହିଲେ ସବୁ ଦିଶେ ଯଥାର୍ଥରେ ।

 

କିନ୍ତୁ ହୋ ଗୋଟିଏ କଥା ଆସୁ’ଛି ମନକୁ-

ଏ ହତଭାଗିନୀଦୋଷ କ୍ଷମିବ ନିଶ୍ଚୟ,

କ୍ଷମିବ କହିବା ଦୋଷ-କ୍ଷମିବ ସ୍ତ୍ରୀଜନ

ପ୍ରେମର ପଥେ ଯେ ଚାଲେ, ହୋଇଣ ସଦୟ ।।

 

ଅଭାଗିନୀ ମୁହିଁ, ଘର ଓଡ଼ିଶାଦେଶରେ,

ପିତୃମାତୃହୀନା, ଜ୍ଞାତି-କୁଟୁମ୍ବ-ବିହୀନା,

ଅମୁନ୍ତ୍ର-ସାଗରଯାୟୀ ଜୀବନତଟିନୀ

ଉପନଦୀ-ଆଦି-ହୀନେ ଧରେ ମୂର୍ତ୍ତି ଦୀନା ।

 

ଭରସାବରଷା ହେଲେ ପୂର୍ଣ୍ଣ ହୁଏ ପାଣି,

ନିର୍ଭରସାନିଦୀଘରେ ଜରାଜୀର୍ଣ୍ଣ ଦେହ;-

ଜ୍ଞାତିରୂପ ରଜ୍ଜୁ ଦ୍ୱାରା ବଦ୍ଧ ନୁହେ ଯେହୁ,

ସଂସାରଗୁହାଳେ ତାର ଅଳ୍ପ ଅଛି ଦେୟ ।

 

ସ୍ଵଜାତି ମଧ୍ୟରେ ଥିଲେ ସ୍ୱଗ୍ରାମ ମଧ୍ୟରେ,

ନବୀନ ନାମରେ ଜଣେ ମନୁଷ୍ୟ ଧାର୍ମିକ,

ସତ, ଜ୍ଞାନୀଶ୍ରେଷ୍ଠ, ସଦା ସୁମିଷ୍ଟ-ଆଳାପୀ,

ନିର୍ଦ୍ଧନୀ-ପ୍ରସ୍ତର ହୀରା ଝଲକାଏ ଦିକ ।

 

ନୈସର୍ଗିକ ଆନ୍ତରିକ ସ୍ନେହ ତାଙ୍କ ପ୍ରତି

ଥିଲା ପିଲାଦିନୁଁ ମୋର, ନ ଜାଣେଁ କାହିଁକି;-

ନ ଜାଣନ୍ତି ସେହୁ, ମୁହିଁ ଯତନେ ସେ କଥା

ଅନ୍ତର-ଆଧାରେ ରଖେଁ ଗୋପନ ପାଁଇକି ।

 

ତହିଁ ପୁଣି ଗୁଣ ଗୁଣି ତାହାଙ୍କ ଅଶେଷ

ଭକ୍ତି ଭାବ ଉଦେ ହେଲା ମନରେ ମୋହରି,-

ସଦା ଇଚ୍ଛା ପାଶେ ବସି ଶୁଣୁଥିବି କଥା-

ଜ୍ଞାନପୂର୍ଣ୍ଣ କଥା ତାଙ୍କ ଅମୃତଲହରୀ ।।

 

ଅବଶେଷେ କର୍ମବଶେ ହୋଇ ସେ ଅନାଥ

ବିଦେଶ ଯିବାକୁ ଇଚ୍ଛା କଲେ ସୁଖାଶାରେ ।

ଶୁଣିଲି ମୁଁ କଥାସୁତ୍ରେ ଲୋକପରମ୍ପରା,

ସୋତ୍ସାହ ନାଚିଲା ହୃଦ ଦେଖିବାକୁ ବାରେ ।।

 

ସୁଦୀନ ବେଶରେ ଯେବେ ଦେଖିଲି ପୋତରେ

ନ ରହି ପାରିଲା ମନ ବିକଳେ କାନ୍ଦିଲା,-

ଆଉ କି ସମ୍ଭାଳି ହୁଏ ? ପ୍ରଧୂମିତ ଅଗ୍ନି

ଅନୁକୁଳ ବାୟୁ ପାଇ ଜ୍ୱଳିଣ ଉଠିଲା ।।

 

ଅନାଥିନୀମନ ବ୍ୟକ୍ତ ଅନାଥ ନିକଟେ

ହେଉଁ ସେ ଅନାଥମନ ହୋଇଲା ନୂତନ,-

ପ୍ରେମଭାବେ, ପ୍ରେମରସେ, ପ୍ରେମର ଆମୋଦେ

ସଂଲଗ୍ନ ନୂତନ-ମନେ ନୂତନାର ମନ ।।

 

ପ୍ରେମର ସାଗରେ ଦୁହେଁ ଏକହିଁ ଆଶାରେ

ସାଗରପୋତରେ ମତ୍ତ ହେଲୁଁ ସୁଖମନେ;

ରୋହିଣୀ ଚନ୍ଦ୍ରମା କିବା ହୋଇଲେ ମିଳିତ ?

ମନେ ହେଲା ଚିରଦିନ ଯିବ ବା ଏସନେ ।

 

ଚିନ୍ତେ ଲୋକ ଏକ, ଫଳେ ବିଧିର ବିଧାନ,

ପ୍ରେମନିଦ୍ରା ସୁଖସ୍ୱପ୍ନ ସରିଲା ଆମ୍ଭରି,-

ପ୍ରବଳ ପବନ ହେଲା ଉଥିତ ଅର୍ଣ୍ଣବେ,

ଧଇଲା ଭୀଷଣ ବେଶ ଉତ୍ତୁଙ୍ଗଲହରୀ ।

 

ଭୟଦ ପ୍ରଳୟକାଳ ହେଲା ଉପସ୍ଥିତ,

କଳ୍ପନା-ବିସ୍ରଷ୍ଟା ପୃଥ୍ୱୀ ପଡ଼ିଲା ତହିଁରେ,

ଭାସିଗଲା ବହୁଦୂର ଦକ୍ଷିଣକୁ ତରୀ,

ବୁଡ଼ିଲା ବିଷମକାଳେ ଅର୍ଦ୍ଧରଜନୀରେ ।।

 

ବୁଡ଼ିଲା ପ୍ରେମର ତରୀ ପ୍ରେମର ସାଗରେ,

ବୁଡ଼ିଲା ତରଣୀ ଆହା ଭୀଷଣ ଅର୍ଣ୍ଣବେ !

ବୁଡ଼ିଲା ସୁଜ୍ଞାନ ତେବେ ହୃଦୟ ମଧ୍ୟରେ,

ବୁଡ଼ିଲା ଜୀବନନାବ ପାରାବାର ଭବେ !!

 

ଭୟରେ ବ୍ୟାକୁଳ ନାବେ ଉଦ୍‌ବିଗ୍ନଜନତା

ଡାକୁ ଡାକୁ ଈଶ୍ୱରଙ୍କୁ ଗଲେ କେଣେ ଚାଲି,

ଗଲେ କେଣେ ନବୀନ ସେ, ଗଲି କେଣେ ମୁହିଁ,-

ଉର୍ବରା ଭୂମିକି ଆସି ଆଚ୍ଛାଦିଲା ବାଲି ।।

 

ନ ଜାଣେ କି ହେଲା ତହୁଁ, ଗଲା କେତେଦିନ,

ଜୀବନନାବ ମୋ କେଉଁ ନଦୀରେ ପଡ଼ିଲା !

ଚେତନାପ୍ରାପ୍ତିରେ ଦିନେ ଶୁଣିଲା ଶ୍ରବଣ

‘କିପରି ବୁଝୁଛ ?’,କଥା ପୁରୁଷେ କହିଲା ।।

 

ପଚାରିଲା ପୁନଃପୁନଃ ‘କିପରି ଲାଗୁ’ଛି ?

ଆରୋଗ୍ୟ ଆଶ୍ୱାସ କିଛି ଲଭି’ଛି ହୃଦୟ ?’

ଅତି କଷ୍ଟେ, ଧୀରେ, ଅର୍ଦ୍ଧ-ଉଚ୍ଚାରିତ ସ୍ୱରେ

କହିଲି ‘ହୋଇ’ଛି କିଛି ଚେତନା ଉଦୟ ।’

 

ବିଜ୍ଞ ବ୍ରହ୍ମଚାରୀ ଏକ ବସି ମୋ ପାର୍ଶ୍ୱରେ

କରନ୍ତି ଶୁଶ୍ରୁଷା ସେବା ବ୍ୟାକୁଳ ମନରେ,

ବ୍ରହ୍ମଚାରୀ ସେହୁ ନାହିଁ ଦ୍ୱେଷହିଂସାଭାବ,

ଭସ୍ମବିଲେପନେ ଶୋଭା ସୁନ୍ଦର ଦେହରେ ।

 

ଆରୋଗ୍ୟ କରିବା ଆଶେ ଭୀଷଣ ରୋଗରୁ

ସେବୁ ଥିଲେ ଦିନ ରାତି ବସି ମୋର ପାଶେ ।

ନ ଜାଣେ ସମ୍ବନ୍ଧ ପୂର୍ବଜନ୍ମରେ କି ଥିଲା,

ଧର୍ମ ଅବତାର ଅବା ବଦ୍ଧ ଧର୍ମପାଶେ !

 

ସେବାମହୌଷଧିବଳେ କେତେଦିନେ ମୁହିଁ

ଆରୋଗ୍ୟ ଲଭିଲି ବ୍ରହ୍ମଚାରୀ-ଧର୍ମବଳେ,

ଜାଣିଲି ନିର୍ଜନ ଦ୍ୱୀପେ ଅପୂର୍ବ ପ୍ରାସାଦେ

ଅଛି ମୁ-କାଳକୁ ଅବା କେବେ କି ନ ଫଳେ ?

 

କିଷଣ୍ଣ ସୁମରି ମୋର ଜୀବନନବୀନ,

ଏକ ମାତ୍ର ବନ୍ଧୁ ବିଶ୍ୱେ, ଜୀବନୁଁ ଅଧିକ,-

କୌସ୍ତୁଭମଣିକି ହରି କରନ୍ତି କି ସ୍ନେହ ?

ପ୍ରାଣାଧିକ ବିନା ମୋର ଜୀବନକୁ ଧିକ !

 

ଦିନାକେତେ ଅତିପାତ ବ୍ରହ୍ମଚାରୀ ସଙ୍ଗେ

ପବିତ୍ର ଆମୋଦେ, ସେହୁ ପବିତ୍ର ପୁରୁଷ ।

ପକାଇଲେ କଥା ଦିନେ ଗଳ୍ପଚ୍ଛଳେ ଏକ,

ନୁହନ୍ତି କେବେହେଁ କିନ୍ତୁ ତା’ପାଇଁ ସେ ଦୁଷ୍ୟ ।

 

ଫେଡ଼ି ପ୍ରକାଶନ୍ତି ମନ ପବିତ୍ରପୁରୁଷେ-

ସୁଗଭୀରସ୍ୱଚ୍ଛବାରିତଳ ପ୍ରକାଶିତ

ଫେଡ଼େ ମନୋଭାବ ବାସେ ସୁଷମ କୁସୁମ

ମହତ ଯେବେ ସେ, ଚିତ୍ତ ନୋହିଲେ ଦୂଷିତ ।।

 

ବିବାହଯୋଗକୁ ଇଚ୍ଛା ଯୋଗୀ ପ୍ରକାଶିଲେ,

ଥିଲା ଇଚ୍ଛା କରିବାକୁ ମୋ ପାଣି ଗ୍ରହଣ,

କିନ୍ତୁ ସେ ତାପସବର ! ବ୍ରୀଡ଼ାର ବିଷୟ-

ପାରିଥାନ୍ତି କରି କି ମୁଁ ପତିତ୍ୱେ ବରଣ ?

 

ହୃଦ, ପ୍ରାଣ , ପାଣି, ସର୍ବ ଦେଇ’ଛି ଜଣକୁ,

ପୁଣି କି ପ୍ରକାରେ ତାହା ଦେବାର ସମ୍ଭବେ ?

ତେଜି ମଣି ସର୍ପ ପୁଣି ପିନ୍ଧି କି ତେଜିବ ?

ହେବ ତେବେ ଧ୍ୱଂସ କ୍ଷଣେ ସର୍ବ ବସ୍ତୁ ଭବେ ।

 

ଖାଇବା ପିଇବା ତେଜି ଦିନରାତି ମୋତେ

ସେବୁଥିଲେ ଚିନ୍ତାଜ୍ୱରେ ହୋଇ ଜର୍ଜ୍ଜରିତ,-

ଅଶେଷ ସେ ମୋର ଭକ୍ତି ଭାଜନ ଅଟନ୍ତି,

ଅଧିକାର ପ୍ରାଣେ, କାହୁ ପାଣିରେ ଉଚିତ ?

 

ଅସ୍ୱୀକାର ବାରମ୍ବାର ଦେଖି ସେ ବିରସ

ବିରସେ ପ୍ରାସାଦ ତେଜି ଗଲେ କେଣେ ଚାଲି,

କହିଲେ ମାସକ ମଧ୍ୟେ ସ୍ମରିଲେ ଆସିବେ;

ଅନ୍ୟପୁଂସପ୍ରେମେ ଏଥି ଜୀବ ଯିବ ଖାଲି !

 

ନ ପାରିଲି ପୁରାଇ ମୁଁ ତାଙ୍କର ବାସନା-

ଅତ୍ୟନ୍ତ ଦୁଃଖିତ ମନ ତାହାଙ୍କ ଗମନେ,

କହିଥିଲେ ସେଠୁଁ ମାସେ ଯାଇ ନ ପାରିବି-

ହୋଇଲି ସୁମନ୍ତ୍ରବଦ୍ଧଭୁଜଙ୍ଗ ଯେସନେ ।।

 

ଇତି ମଧ୍ୟେ ଦିନେ ଆହା କରମସୁଫଳେ,

ଜୀବନନାଥଙ୍କୁ ମୁହିଁ ଦେଖିଲି ଜୀବନେ !

ଶୀତଳ କିଞ୍ଚିତ ହୃଦ ହୋଇଲା ସେ କାଳେ,

ଚକୋର ଚନ୍ଦ୍ରମା ଦେଖି ତୃପ୍ତ ହେଲା ମନେ ।

 

କି ହେବ ? ତକ୍ଷଣେ ମନେ ଯୋଗିକଥାଯାକ

ଉପସ୍ଥିତ ହେଲା, ମନ ବାନ୍ଧି ତା ରଖିଲା,-

ତୃଷାର୍ତ୍ତଜନଙ୍କୁ ଯଥା ତୋଷେ ଅଳ୍ପବାରି

ଫଳାଇ ଅଶେଷ କଷ୍ଟ, ତେସନ ହୋଇଲା ।

 

ନ ଜାଣନ୍ତି ନବୀନ ତା, କହି ମୁଁ ନ ପାରେ-

ଫାଟି ଯିବ ହୃଦ କ୍ଷଣେ ଯୋଗି କଥାମତେ;

ପ୍ରେମକଲେ ଯେବେ ନିଶ୍ଚେ ହୋଇବ ମରଣ

କିପରି ଫିଙ୍ଗିବି ତାଙ୍କୁ ଖରଦୁଃଖସ୍ରୋତେ ?

 

ଯେ ମୋର ସେ ମୋର, ମୋର ନବୀନ ନିଶ୍ଚୟ,

ଧରାରେ ଯେତେକି ଦିନ ନବୀନ ଜୀବନ,

ମୁଁ ମଲେ ଏକ୍ଷଣି ସେହୁ ଜୀବନ ତେଜିବେ-

କଳଙ୍କ ମୋ ନାମ ଘୋର କରିବ ବହନ !

 

ବିଷମ ସଙ୍କଟେ ମୁହିଁ ପଡ଼ିଲି ତକ୍ଷଣେ;

ନ କହିଲି କିଛି ଥରେ ଚାହିଁଲି ତ ନାହିଁ,

ଅଶେଷ ଦୁଃଖରେ ମନ ହୋଇଲା ଦୁଃଖିତ-

ହସ୍ତସ୍ଥିତ ଅନ୍ନ ଆହା ପାରୁନାହିଁ ଖାଇ !

 

ଦେଖି ମୋ ଏସନ ଭାବ ବାହୁଡ଼ିଲେ ଧନ,

ବାହୁଡ଼ିଲେ ଜୀବଧନ ଗଲେ ସେ ବାହାରି,-

ହଜିଲା ମସ୍ତକମଣି, ହଜିଗଲା ବୁଦ୍ଧି,

ମସ୍ତିଷ୍କବିହୀନଲୋକ ଜ୍ଞାନ ଯେହ୍ନେ ହାରି ।

 

ଦୁଃଖ-ଅନ୍ଧକାର ଘୋର ଘାରି ଦେଲା ମନ,

ପାରିବେଳେ ଭାରୀ ତରୀ ବୁଡ଼ିଲା ମଝିରେ;

ଚାଲିଲେ ନବୀନ, ମନ ଗୋଡ଼ାଇ ଚାଲିଲା,

ଶୂନ୍ୟଦେହ ରହି ଗଲା ଶୂନ୍ୟ ସେହିଘରେ !

 

ଯୁଗପରି କେତେଦିନେ ହେଲା ମାସ ଶେଷ,

ପୁଂବେଶେ ନବୀନ ଖୋଜି ହୋଇଲି ବାହାର;

ଦେଖିଲି ଦୂଆରେ ମୃତଯୋଗିବର ଦେହ

ସ୍ପର୍ଶିଲି ଶ୍ରୀପାଦପଦ୍ମ ଭକତିପ୍ରକାର ।

 

ପ୍ରଣମି ସେ ପାଦେ ପୂଜି ଭକତି ପୂର୍ବକ

ରଖିଲି ଚରଣରଜ ମସ୍ତକ ଉପରେ ।

ନିଜଦୋଷ ପାଇଁ ତାଙ୍କୁ କୋଟି କ୍ଷମା ମାଗି

ଈଶ୍ୱରଙ୍କୁ ଡାକି ହେଲି ବାହାର କାର୍ଯ୍ୟରେ ?

 

ଆଉ କି ତାପସବର ଦେଖ ଏତେବେଳେ,

ଭ୍ରମିବି ଅରଣ୍ୟେ ନିଜନବୀନାନ୍ୱେଷଣେ;

ଜୀବନଜୀବନ ଯେବେ ଯାଇ’ଛି ମୋହରି

ଶୂନ୍ୟ ଦେହ ଘେନି କେଉଁ କୁତ୍ସିତ କାରଣେ ?

 

ନବୀନଙ୍କ ପାଶେ ମୁହିଁ ତେଜିବି ଜୀବନ-

ପାତିବି ମୁ ମୃତ୍ୟୁଶଯ୍ୟା ସେହି ସେ ଠାବରେ !-

ମୋ ପାଇଁ ଯେ ମଲା ମୁହିଁ ତାହାରି କାରଣେ

ତେଜିବି ଜୀବନ, ଋଣ-ଅପନୟନରେ !!’’

 

ଉଥିତା ଏ କଥା କହି ପ୍ରେମର ଲତିକା,

ସମ୍ବରି କହିଲେ ସେହୁ ତାପସ ପ୍ରବର

‘‘ନିବାରନ୍ତୁ ଜଗଦୀଶ, ଦୀର୍ଘଜୀବ ହେଉ-

ପଡ଼ିବା ଉଭୟେ ଏବେ ପ୍ରେମରି ପାଶର !’’

 

ପ୍ରସାରି ଉଭୟ ହସ୍ତ ତାପସପ୍ରବର

ଧଇଲେ ବନ୍ଧନେ ଦୃଢ଼, ଦୃଢ଼ ଆଲିଙ୍ଗନେ-

ତିଳକେ ଆଶ୍ଚର୍ଯ୍ୟ ହୋଇ ରମଣୀର ମଣି

ତିରସ୍କାର କରିବାକୁ ଉଦ୍ୟତା ଏକ୍ଷଣେ ।

 

ତାପସପ୍ରବର ତହୁଁ ପରମ ପ୍ରୀତିରେ,

ପ୍ରେମର ମିଳନେ ପ୍ରୀତ ପରାଣେ କହିଲେ,

‘‘ଲବଙ୍ଗଲତିକେ ! ମୋର ପରାଣମିତଣି !

ପାଇଲା ନବୀନ ପ୍ରାଣ ପ୍ରେମ-ପୃଥିବୀରେ ।।

 

ଅବହେଳେ ଲକ୍ଷେ ଦୋଷ କ୍ଷମିବି ତୁମ୍ଭର,

ତୁମ୍ଭପରି ନାରୀ ଭବେ ଦୁଷ୍କର ମିଳିବା,

ସରଳ, ପବିତ୍ର, ସ୍ୱଚ୍ଛ, ନିଷ୍ପାପହୃଦୟା-

ରମଣୀରତନେ ହୀରା ଦୁଷ୍କର ଦେଖିବା ।

 

ମୃତ ପ୍ରାୟ ଥିଲି ମୁହିଁ ତୁମ୍ଭରି ବିହୀନେ-

ଜାଣିଲି ତୁମ୍ଭଙ୍କୁ ଆଜି ଉତ୍ତମରୂପରେ ।

ଡ଼ାକୁ’ଛି ନବୀନ ଆସ ଲବଙ୍ଗ ଜୀବନ,

ବାହିବା ଏ ପ୍ରେମତରୀ ପ୍ରେମ ଅର୍ଣ୍ଣବରେ !’’

 

ମନରେ ମନକୁ            ମିଶାଇ ସୁଖରେ

ନବୀନଲବଙ୍ଗଲତା,

ପ୍ରେମତରୀ ପରେ            ବସି ସୁମନରେ

ପାସୋରିଲେ ସବୁ ବ୍ୟଥା,

 

ବାହିଲେ ସୁଖରେ            ପ୍ରେମର ସାଗରେ

ଅନୁକୂଳ ବାୟୁଭରେ,-

ଚାଲିଲା ତରଣୀ            କାହାକୁ ନ ମାନି-

ଜନମନ ମୁଗ୍ଧ କରେ !!